ଭୈରବ ଜେନାଙ୍କ

ଧର୍ମପଦ ଓ ଜାତୀୟତା 
*******
ଧର୍ମପଦ ର କାହାଣୀ ଏକ କିଂବଦନ୍ତୀ ବା ଜନଶ୍ରୁତି।ଏ କାହାଣୀକୁ ଉପଜୀବ୍ୟ କରି କେତେ କାବ୍ୟକବିତା ନାଟକ ଆଦି ରଚନା କରାଯାଇଛି ।ଉଦ୍ଦେଶ୍ୟ ହେଉଛି ଓଡ଼ିଆ ପ୍ରାଣରେ ଜାତୀୟତାର ଭାବଧାରା ଖେଳାଇବା । ଉକ୍ତ କିଂବଦନ୍ତୀ ଓଡ଼ିଆ ଜାତୀୟ ଜୀବନର ପ୍ରାଣ ପ୍ରବାହରେ ସତରେ  ଆଲୋଡନ ସୃଷ୍ଟି କରିବ ନା ଓଡ଼ିଆ ଜାତିର ଅବିମୃଶ୍ୟକାରିତାର ପ୍ରମାଣ ବହନ କରିବ ତାହା ଏଠାରେ ଆଲୋଚନାର ବିଷୟ ।
               ପ୍ରଥମେ କିଂବଦନ୍ତୀର ସତ୍ୟତା ଉପରେ ଆଲୋଚନା କରାଯାଉ ।ମୂଳ କଥା ହେଲା କିଂବଦନ୍ତୀ ଯେହେତୁ ଏକ ଜନ ଶ୍ରୁତି ,ତେଣୁ ଏହାର ସତ୍ୟତା ଖୋଜିବା ନିରର୍ଥକ ,କିନ୍ତୁ ଅଧିକାଂଶ ଭୁତ ପ୍ରେମୀ ଓଡ଼ିଆ ଉକ୍ତ କାହାଣୀକୁ ଆଖି ବୁଜି ବିଶ୍ୱାସ କରିବାରେ ଲାଗିଛନ୍ତି ।
                 ବାର ଶହ ଶିଳ୍ପୀ (ମୂଳ କାହାଣୀରେ ବଢ଼େଇ ବୋଲି କୁହାଯାଇଛି ;ଯାହା ତ୍ରୁଟି ପୁର୍ଣ । ) ଯେଉଁ କାମକୁ ପାରିଲେ ନାହିଁ ମାତ୍ର ଅନଭିଜ୍ଞ ବାର ବର୍ଷର ପିଲାଟି ତାହା କରି ପାରିଲା ।ଏହା  ଏକ ଚମତ୍କାରିତା ଛଡା ଆଉ କ'ଣ ହେଇପାରେ । 
                  ଶିବେଇ ସାଆନ୍ତରା କାହାଣୀରୁ ପ୍ରଥମେ କଥା ଆରମ୍ଭ କରାଯାଉ । 
         ସମୁଦ୍ର ପୋତି ବିଶାଳ ମନ୍ଦିର ତିଆରି ହେବ ।ମନ୍ତ୍ରୀ ଶିବେଇ ସାଆନ୍ତରା ମୁଣ୍ଡରେ ବୁଦ୍ଧି ନ ଥିଲା ।ଯେତେ ପଥର ମାଟି ସମୁଦ୍ରରେ ପକେଇଲେ ସବୁ ସମୁଦ୍ର ତରଙ୍ଗ ଧୋଇ ନେଲା ।ଥରେ ଚିନ୍ତାକୁଳିତ ଅବସ୍ଥାରେ ବୁଲୁ ବୁଲୁ ଶୋଷରେ ଆକୁଳ ହେଇ କୌଣସି ଗୋଟିଏ  ଗାଁ ମୁଣ୍ଡରେ  ପିଣ୍ଡାରେ ହାଲିଆ ହେଇବସି ପଡିଲେ ।
            ଘର ଭିତରେ ମା ତା'ର ଛୋଟ ପୁଅଟିକୁ ଗରମ ଗରମ କ୍ଷୀରି ଥାଳିରେ ବାଢି ଦେଲେ ।ପୁଅଟି କ୍ଷୀରି ମଝିରେ ହାତ ମାରି କାନ୍ଦି ଉଠିଲା ।ମା କହିଲେ, ହଇରେ ତୁ  ତ ମୂର୍ଖ ମନ୍ତ୍ରୀ ଶିବେଇ ସାଆନ୍ତରା ଭଳି ହେଉଛୁ । ସେଇଠୁ ଶିବେଇ ସାଆନ୍ତରା ନିଜ ପରିଚୟ ଗୋପନ ରଖି ମୂର୍ଖ ମନ୍ତ୍ରୀ ପ୍ରସଙ୍ଗ ର ରହସ୍ୟ ପଚାରି ବୁଝିଲେ । ମା ବୁଝେଇ ଦେଲା ସ୍ଥଳ ଭାଗରୁ ପୋତି ପୋତି ଗଲେ ସମୁଦ୍ର ମାଟି ଧୋଇ ନେଇ ପାରିବ ନାହିଁ ।ସେଇଠୁ ଶିବେଇ ସାଆନ୍ତରାଙ୍କର ଜ୍ଞାନ ଉଦୟ ହେଲା ।ଗାଁ ର ଜଣେ ଅଶିକ୍ଷିତା ସ୍ତ୍ରୀ ଲୋକଟି ନିକଟରୁ ପରାଭବ ପାଇ ଲଜ୍ଜିତ ହେଇ ସେ ଉଆସ କୁ ଫେରି ଆସିଲେ ।ସେଇଠୁ  ବୁଦ୍ଧି ପାଇ ମନ୍ଦିର ତିଆରିରେ ଲାଗି ପଡିଲେ ।
            
              ପିଲାଟି ଯେତେବେଳେ ପିତାଙ୍କ ସନ୍ଧାନରେ ଘରୁ ବାହାରିଲା,ସାଙ୍ଗରେ ଥିଲା ପୋଷା କୁକୁର ।ଯେଉଁ କୁକୁରଟିକୁ 
ତା'ର ପିତା ବିଶୁ ମହାରଣା ପାଳନ କରିଥିଲେ ।ସେ ଘର ଛାଡିଲା ବେଳକୁ ସେତେବେଳେ କୁକୁରଟି ପ୍ରାପ୍ତ ବୟସ୍କ ହେଇଥିବ ।ଏହା ଭିତରେ ବାର ବର୍ଷ ବିତି ଯାଇଛି ।ଏଇଠି ପ୍ରଶ୍ନ ଉଠୁଛି ଗୋଟେ  କୁକୁର ର ଆୟୁ କାଳ କେତେ ?
                    କୁକୁର ମାଲିକ କୁ ଚିହ୍ନିଲା,ମାଲିକ ବି ଚିହ୍ନିଲା କୁକୁରକୁ ।ସେଇ କୁକୁର ଟି ଥିଲା ପିତାଙ୍କ ପାଇଁ ଅଭିଜ୍ଞାନ ।
                    ପୁଅକୁ କୋଳେଇ ନେଲେ ଶିଳ୍ପୀ କୁଳ ଶ୍ରେଷ୍ଠ ।ଏକ ବିହ୍ଵଳ ଭାବ ଦେଖାଗଲା ପିତା ପୁତ୍ରର ମିଳନରେ ।ପରକ୍ଷଣରେ ଉଭୟଙ୍କ ପାଇଁ ଏକ ଦୁର୍ଭାଗ୍ୟ ଅପେକ୍ଷା କରୁଥିଲା ।ପିଲାଟି ସିନା ଦେଉଳ ମୁଣ୍ଡି ମାରିଦେଲା ,ହେଲେ ଶିଳ୍ପୀ କୁଳ ର ମୁଣ୍ଡ ଗଡ଼ିବା ବାଟ ପରିଷ୍କାର ହେଇ ଗଲା ।ସଫଳକାମ ପିଲାଟିକୁ କେତେ ଖୁସିରେ ବାପା କୁଣ୍ଢେଇ ଧରିଥିବେ ସେଦିନ ।
                       କାପୁରୁଷ ଶିଳ୍ପୀ କୂଳ ବିଶୁ ମହାରଣା କୁ ପଚାରିଲେ ," ବାରଶ ବଢ଼େଇରେ ଦାୟ ନା ପୁଅରେ ଦାୟ ?"
                     
           ଧର୍ମ ପଦ ଆତ୍ମହତ୍ୟାର ପଥ ଆଦରି ନେଲା ।ମନ୍ଦିର ଚୂଡ଼ାରୁ ଲମ୍ଫ ଦେଲା ସମୁଦ୍ର କୁ ।
               ପାଠକେ !କେବେ ଭାବିଛନ୍ତି କି, ଧର୍ମ ପଦ ଯଦି ଆତ୍ମ ହତ୍ୟା କରିବ ,ତେବେ ସେ ମନ୍ଦିର ଚୂଡ଼ାରୁ ତଳକୁ ଡେଇଁ ଆତ୍ମ ହତ୍ୟା କରିବାର ବାଟ ବାଛିନେଲା କାହିଁକି ?ନିଜ ଶରୀରରୁ ରକ୍ତ ଝରାଇ ସେ ପବିତ୍ର ପୀଠ କୁ ଅଶୁଚି କରିବ କାହିଁକି ?
                ସମୁଦ୍ର ଜଳ ରାଶିକୁ ସ୍ପର୍ଶ କରି କେବେ କେଉଁଠି କୌଣସି ସ୍ଥାପତ୍ୟ ଗଢି ଉଠିଛି କି ?ଲୁଣି ପାଣିର ସଂସ୍ପର୍ଶରେ ଆସି କୌଣସି ପଥର ଅଧିକ କାଳ ସ୍ଥାୟୀ ହେଇ ନ ପାରେ ।
                  ଯଦି କୋଣାର୍କ ମନ୍ଦିର ଜଳ ରାଶିକୁ ସ୍ପର୍ଶ କରୁଥିଲା ତେବେ କୋଣାର୍କ ମନ୍ଦିର ର ନିମ୍ନ ଭାଗରେ ଯେଉଁ ଭାସ୍କର୍ଯ୍ୟ କଳା ଖୋଦେଇ ହେଲା ତାହା ଜଳ ପରୀ ଦେଖିବା ପାଇଁ ନା ଜଳ ଜୀବ ପାଇଁ ?
                 କୁହାଯାଏ ଧର୍ମ ପଦ ଯେତେବେଳେ ମନ୍ଦିର ଶୀର୍ଷ ରୁ ତଳକୁ ଲମ୍ଫ ଦେଲା ,ସେ ସମୁଦ୍ରରେ ସିଧା ପଡିଲା ।ଏହା  ଅସମ୍ଭବ ।ଜଣେ ମନ୍ଦିର ଶୀର୍ଷରୁ ତଳକୁ କୁଦା ମାରିଲେ ସେଇ ମନ୍ଦିରରେ ପିଟି ହେଇ ହେଇ ଜଣେ ତଳେ ପଡିଯିବ ।ବୋଧ ହୁଏ ଧର୍ମପଦ ହନୁମାନ ଭଳି ଶକ୍ତି ସମ୍ପନ୍ନ ଥିବାରୁ ଉଡି ଉଡି ଯାଇ ସମୁଦ୍ରରେ ପଡିଲା ।
           ଏବେ ଆଲୋଚନାର ଦ୍ଵିତୀୟ ପର୍ଯ୍ୟାୟ କୁ ଆସନ୍ତୁ ।

                ଶିବେଇ ସାଆନ୍ତରା କାହାଣୀ ଆମକୁ କେଉଁ ବାର୍ତା ଦେଉଛି ? ଏ କାହାଣୀ କହୁଛି ଯେ ଗୋଟିଏ ରାଜ୍ୟର ରାଜା ମନ୍ତ୍ରୀ ସମେତ  ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ରାଜ କର୍ମଚାରୀ ଅପଦାର୍ଥ ଓ ଅଯୋଗ୍ୟ ।ଜଣେ ସାଧାରଣ ଗୃହିଣୀ ଠାରୁ ଏମାନେ ବୁଦ୍ଧିହୀନ ।
              ଠିକ ସେହିଭଳି ଉକ୍ତ କାହାଣୀରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଙ୍କ ପ୍ରତି ଅସମ୍ମାନ ଭରି ରହିଛି ।ଏଥିରେ
 ନରସିଂହ ଦେବଙ୍କୁ ଜଣେ ପ୍ରଜାପୀଡ଼ାକ ନୃଶଂସ ଅତ୍ୟାଚାରୀ ରାଜା ଭାବରେ ଚିତ୍ରଣ କରାଯାଇଛି ।
                 ବାର ଶହ ଶିଳ୍ପୀଙ୍କ ଉପରେ  ବାର ବର୍ଷ କାଳ ସେ ଅମାନବୀୟ ନିର୍ଯାତନା ଦେଇଛନ୍ତି ।ସେମାନେ ଜ୍ଞାତି କୁଟୁମ୍ବ ଠାରୁ ଦୂରରେ ଥାଇ ଏକ ସାଆନ୍ତିଆ ରୁଚିକୁ କଳା ବିମଣ୍ଡିତ କରିବାରେ ନିଜର ସମଗ୍ର ଆୟୁକୁ ନିଃଶେଷ କରିଦେଇଛନ୍ତି । ନିଷ୍ଠରତା ପାଲଟିଛି ରାଜାଙ୍କର ଭୂଷଣ ।
                  ବାର ଶିଳ୍ପୀଙ୍କ ମୁଣ୍ଡ କାଟ ହେବାର ଚରମ ବାଣୀ ଶୁଣାଇ ରାଜା ନିଜ ବର୍ବରତାର ପରିଚୟ ଦେଇଛନ୍ତି ।ଇତିହାସ ପୃଷ୍ଠାରେ ଏଭଳି ପୈଶାଚିକ ଆଦେଶନାମା ବିରଳ ।ସତ ହେଇଥିଲେ ଏଭଳି ରାଜାଙ୍କୁ ଓଡ଼ିଆ ଜାତି କଦାପି କ୍ଷମା ଦେବା ଉଚିତ ନୁହେଁ ।
                    ଆଉ ରହିଲେ ବାର ଶହ ଶିଳ୍ପୀ ।ଏମାନେ ସେ ପିଲାଟି ପ୍ରତି  ଯେଉଁ ପରିମାଣରେ ନିଷ୍କରୁଣ  ସମଧିକ ପରିମାଣରେ କୃତଘ୍ନ ମଧ୍ୟ ।ଏମାନେ  ଭୀରୁ ଭଳି ଜୀବନ ପାଖରେ ଆତ୍ମ ସମର୍ପଣ କରିଦେଇଛନ୍ତି ,କିନ୍ତୁ ବୀର ଭାବରେ ସତ୍ୟର ବନ୍ଦନା ଗାଇବାର ସାହସ ହରେଇ ବସିଛନ୍ତି ।
        ମୋଟ ଉପରେ ଏ କାହାଣୀ ଓଡ଼ିଆ ଜାତିର ପୌରୁଷ ,ତାର ଶୌର୍ଯ୍ୟ ବୀର୍ଯ୍ୟ ବା ତାର ଆଶା ଉଦ୍ଦୀପନା ର ପରିଚାୟକ ନୁହେଁ । ଏ କାହାଣୀକୁ ନେଇ ଗର୍ବ କରିବା ଭଳି କୌଣସି ଉପାଦାନ ନାହିଁ ; ବରଂଚ ଏ କାହାଣୀ ଓଡ଼ିଆ ଜାତିର 
ମଣିଷ ପାଣିଆକୁ ପରିହାସ କରିଛି ।

Comments